ଶ୍ରୀ ତାରାତାରିଣୀ ସ୍ତୁତି
JAYA MAA TARATARINI |
ଜୟ ଜୟ ମାଗୋ ସଙ୍କଟ ତାରିଣୀ /
ନମସ୍ତେ ନମସ୍ତେ ମାଗୋ ଶଙ୍କର ମୋହିନୀ //
ନମସ୍ତେ ନମସ୍ତେ ମାଗୋ ଶ୍ରୀ ଦୁର୍ଗା ପାର୍ବତୀ /
ନମଇଁ ପୟରେ ମାଗୋ ଫେଡ଼ ମୋ ଦୁର୍ଗତି //
କଙ୍କାଳମାଳକୁ ମାଗୋ କରିଛୁ ଧାରଣ /
କରଯୋଡ଼ି ପଦ୍ମପାଦେ କରୁଛି ବନ୍ଦନ //
ଖଳକୁ ନାଶିଲୁ ଖର ଦୃଷ୍ଟିରେ ଗୋ ମାତ /
ଖଣ୍ଡା ଖର୍ପର ଧରିଣ ବଧିଲୁ ଦଇତ୍ୟ //
ଗଜାନନ ଜନନୀ ଗୋ ଗିରିରାଜସୁତା /
ଗଉରୀ ତୋ ନାମ ମାଗୋ ଗିରିଜା ବନିତା //
ଘର୍ଘରନାଦିନୀ ଘନ ଜୀମୁତବରନା /
ଘୋର ଦୈତ୍ୟବିନାଶିନୀ ଘୂର୍ଣ୍ଣିତନୟନା //
ଓଁକାର ରୂପିଣୀ ମାଗୋ ଉମା କାତ୍ୟାୟିନୀ /
ଉଗ୍ରଚଣ୍ଡୀ ପ୍ରଚଣ୍ଡା ଗୋ ଐଶ୍ୱର୍ଯ୍ୟ ଦାୟିନୀ //
ବିକ୍ରମିଲୁ ନେଇ କାତ୍ୟାୟିନୀ ଚଣ୍ଡିକା ଚାମୁଣ୍ଡି /
ଚଣ୍ଡନାୟିକା ଗୋ ମୁଣ୍ଡେ ସିନ୍ଦୁରକୁ ମଣ୍ଡି //
ଛଳେ ଚଣ୍ଡମୁଣ୍ଡ ଦୈତ୍ୟ ନାଶିଲୁ ଗୋ ମାତ /
ଛାୟା ରୂପେ ବ୍ୟାପିଅଛୁ ସକଳ ଜଗତ //
ଜଗତ ଜନନୀ ଜୟ ଜଠରୁ ତୋହର /
ଜନମିଲେ ଦେବଗଣ ଅମର କିନ୍ନର //
ଝଟକ ବିଜୁଳି ପ୍ରାୟ ଦିଶଇ ତୋ ଆଭା /
ଝଳି ନଖ ପାଦପଦ୍ମେ କି ସୁନ୍ଦର ଶୋଭା //
ଓଁକାର ମୂରତି ତୋର ଅତି ଶୋଭାବନ /
ଓଁ ଅକ୍ଷର ତୋ ମୁଖ ନାସାରୁ ଉତ୍ପନ୍ନ //
ଟଙ୍କଧର ଘରଣୀ ମା ଟହ ଟହ ହାସୀ /
ଟାଣଲୋକ ଟାଣ ଭାଙ୍ଗିଦେଉ ଚାରୁକେଶୀ //
ଠାକୁରାଣୀ ରୂପେ ଥାଉ ବ୍ରହ୍ମାଣ୍ଡରେ ତୁହି /
ଠାବ ଦିଅ ମୋତେ ମାଗୋ ପାଦତଳେ ନେଇ //
ଡ଼ମ୍ବରୁଧରଙ୍କ ମନମୋହିନୀ ଗୋ ମାତ /
ଡ଼ାଙ୍କିନୀଗଣଙ୍କୁ କଲୁ ଶ୍ରୀଅଙ୍ଗରୁ ଜାତ //
ଢ଼ାଳେ କୃପା ବାରି ଢ଼ାଳିଦିଅ ମୋ ଉପରେ /
ଢ଼ଳ ଢ଼ଳ ନୟନୀ ମୁଁ ବିପଦ ସାଗରେ //
ଅନନ୍ତ ମୁରତି ତୋର କି ଅନ୍ତ ପାଇବି /
ଅମ୍ବାଳିକା ଅମ୍ବିକା ମା ମୋର ମୁକ୍ତି ଭାବି //
ତାମରସ ମୁଖୀ ମାଗୋ ତରଳ ଲୋଚନା /
ତାରିଣୀ ତାରାଗୋ ଜୟ କାଞ୍ଚନ ବରନା //
ଥରହର ହୁଏ ଦେହ ସର୍ବଦା ମୋହର /
ଥରେ ମାତ୍ର ବିପଦରୁ ମୋତେ ରକ୍ଷା କର //
ଦୁର୍ଗତି ତାରିଣୀ ଦୁର୍ଗା ଦୁଃଖ ଶୋକହରା /
ଦନୁଜ ଦଳିନୀ ବିଦ୍ୟାଧାରୀ ଦିଗମ୍ବରା //
ଧରଣୀର ମହାଭାରା ଉଶ୍ବାସିଲୁ ମାତ /
ଧରି ହସ୍ତେ ଶଙ୍ଖ ଚକ୍ର ଗଦା ଅସୀ କୁନ୍ତ //
ନମସ୍ତେ ନମସ୍ତେ ମାଗୋ ଶୈଳେନ୍ଦ୍ର ନନ୍ଦିନୀ /
ନମସ୍ତେ ନମସ୍ତେ ମାଗୋ ଆନନ୍ଦ ଦାୟିନୀ //
ପର୍ବତ ବାସିନୀ ମାଗୋ ପରମ ଈଶ୍ୱରୀ /
ପଦ୍ମହସ୍ତା ପଦ୍ମାଳୟା ପର୍ବତ କୁମାରୀ //
ଫୁଲ ଅରବିନ୍ଦ ନିନ୍ଦି ଶୋଭା ତୋ ବଦନ /
ଫୁଟିଲା କମଳ ପରି ଦିଶେ ଶୋଭାବନ //
ବରାନନା ବରଦା ଗୋ ବଳାହକ କେଶୀ /
ବୃନ୍ଦାରକ ବୃନ୍ଦ ନିତ୍ୟ ତବ ନାମ ଘୋଷି //
ଭବଭୟ ନାଶିନୀ ଗୋ ଭକତ ପାଳିନୀ /
ଭବାନୀ ପାର୍ବତୀ ଭୀମା ଭୀଷଣ ନାଦିନୀ //
ମହାରାତ୍ରି ମହୋରାତ୍ରି ତୁହି ମାହେଶ୍ୱରୀ /
ମହାବିଦ୍ୟା ମହାକାଳୀ ମହିମା ତୋହରି //
ଯେତେବେଳେ ଘୋର ରୂପ ଧଇଲୁ ଗୋ ମାତ /
ଯାତୁଧାନ ଗଣ ହେଲେ ଭୟେ ଇତସ୍ତତ //
ରକ୍ତ ମାଂସ ମଦ୍ୟପାନେ ସନ୍ତୋଷ ତୋହର /
ରାକ୍ଷସଗଣଙ୍କୁ ନାଶି ରଖିଲୁ ଅମର //
ଲଳିତରେ ବଧ କଲୁ ମହିଷାସୁରକୁ /
ଲାବଣ୍ୟ ରୂପରେ ନାଶ କଲୁ ଦନୁଜକୁ //
ବନ୍ଦନା ମୁଁ ନ ଜାଣଇ ବାରିଦ ବରନା /
ବିଲ୍ଵଦଳ ବିମଣ୍ଡିନା ବନଜ ନୟନା //
ଶଙ୍କରୀ ସର୍ବାଣୀ ଶମ୍ଭୁଚିତ୍ତ ବିଳାସିନୀ /
ଶରତ କାଳେ ଉତ୍ସବ ପାଳଇ ଅବନୀ //
ଷଡ଼ାନନ ଜନନୀ ମା ଷୋଳଭୁଜ ତୋର /
ଷଷ୍ଠ ଶତ ସହସ୍ର ଲୋଚନ ଆଜ୍ଞା କର //
ସଂହାର କାରିଣୀ ସଦାନନ୍ଦ ମହାସତୀ /
ଶାରଦା ସୁଭଦ୍ରା ସ୍ୱାହା ସୁଧା ଲଜ୍ୟାବତୀ //
ହରଜାୟା ହରପ୍ରିୟା ହରିପୃଷେ ବସି /
ହୁଙ୍କାର ଶବଦେ ଧୂମ୍ର ଲୋଚନକୁ ନାଶି //
କ୍ଷମାକର ଦୋଷ ମା ଧୃତି ମତି ସ୍ତୁତି /
କ୍ଷମା ଲଜ୍ଯା ତୁଷ୍ଟି ପୁଷ୍ଟି ଭ୍ରାନ୍ତି ଆଉ କ୍ଷାନ୍ତି //
💮 💮 💮
No comments:
Post a Comment