କେଦାର ବ୍ରତ କଥା
ଶ୍ରୀ କେଦାର ବ୍ରତ କଥା ଆରମ୍ଭ
ଏକ ଦିନକରେ ନୈମିଷ ଋଷି କୁନ୍ତୀଙ୍କୁ ସଙ୍ଖୁଳି ଗଲେ , ବନସ୍ତରେ ଯାଉ ଯାଉ କୁନ୍ତୀଙ୍କୁ ଭେଟିଲେ । କୁନ୍ତୀଙ୍କୁ କୁଶଳ ପୁଛିଲେ । କୁନ୍ତୀ କହିଲେ କି କୁଶଳ କହିବି । ଦୁର୍ଯ୍ୟୋଧନ ରାଜ୍ୟରେ ରାଜା ହେଲା । ଆମ ସହିତରେ ପୁତ୍ରମାନେ ବନବାସ କଲେ । ଅତି ଦୁଃଖ ପାଇଲେ । ଏହାଶୁଣି ନୈମିଷ ଋଷି କହିଲେ , ଏବେ ତୁମେମାନେ କେଦାର ବ୍ରତ କର । ଏହାଶୁଣି କୁନ୍ତୀ କହିଲେ , ସେ ବ୍ରତ କେଉଁ ଯୁଗେ କେଉଁ କାଳେ କେହୁ କରିଥିଲେ । କେଉଁ ରୂପେ ସେ ବ୍ରତ କରନ୍ତି । ଏହାଶୁଣି ଋଷି ହରଷରେ କହିଲେ – ଏବେ ଶୁଣିବା ହୁଅନ୍ତୁ । ପୂର୍ବକାଳେ ସତ୍ୟଯୁଗରେ ଏ ବ୍ରତ ସ୍ଵର୍ଗର ଅପସରୀମାନେ କରନ୍ତି । ଏବେ ତୁମ୍ଭେ ଏ ବ୍ରତ କର । କାର୍ତ୍ତିକ ପୂର୍ଣ୍ଣିମା ଦିନ ଏ ବ୍ରତ କରିବ । ସର୍ବତ୍ର ରୁଦ୍ର ମଣ୍ଡଳ କାଟିବ । ତପରେ ଈଶ୍ବର ପାର୍ବତୀ ସ୍ଥାପିବ । ନନ୍ଦୀ ଭୃକୁଟୀ ସ୍ଥାପିବ । ଏକୋଇଶି ଖିଅରେ ବ୍ରତ କରିବ । ବ୍ରତରେ ଏକୋଇଶି ଗଣ୍ଠି ପକାଇବ । ଏକୋଇଶି ନାଡ଼ ଦୂବ କରିବ , ଏକୋଇଶି ଗୁଆ କରିବ । ଅପମାରଙ୍ଗ ଦାନ୍ତକାଠି ଏକୋଇଶି ଖଣ୍ଡ କରିବ । ଏକୋଇଶି ଫଡା ହଳଦୀ କରିବ । ଏକୋଇଶି ବର ଫୁଲ କରିବ । ବଟଫଳ ଏକୋଇଶି କରିବ । ବର ଓହଳ ଚେର ଏକୋଇଶି ଖଣ୍ଡ କରିବ । ଏକୋଇଶି ପାନପତ୍ର କରିବ । ଏକୋଇଶି ବର ଖଜାପିଠା କରିବ । ଅଁଳାକୋଳି ଏକୋଇଶି , ବଢ଼ାପିଠା ଏକୋଇଶି କରିବ । କଦଳୀ , ନଡ଼ିଆ , ଆଖୁ ବାଢ଼ିବ , ଘୃତଦୀପ ଜାଳିବ । ଈଶ୍ଵର ପାର୍ବତୀଙ୍କୁ ସ୍ମରଣ କରିବ । ଶ୍ରୀ କେଦାରନାଥଙ୍କୁ ସ୍ମରଣ କରି ନୈବେଦ୍ୟ କରିବ । ଫୁଲ ଦୁବ ମଥାରେ ଘେନି ଯାହା ମନାସିବ ତାହା ଶ୍ରୀ କେଦାରନାଥ ପ୍ରସନ୍ନ ହୋଇ ଦିଅନ୍ତି । ମନକାମନା ସିଦ୍ଧ କରନ୍ତି । ଏହାଶୁଣି ପଚାରିଲେ ଏ ବ୍ରତ କରି କେଉଁମାନେ କେଉଁ ଫଳ ପାଇଲେ ତାହା ମୋତେ କହନ୍ତୁ । ଏହାଶୁଣି ନୈମିଷ ଋଷି କହିଲେ ଶୁଣିମା ହୁଅନ୍ତୁ । ସତ୍ୟ ଯୁଗରେ ଏକ ବ୍ରାହ୍ମଣ ଚକରିଆ ପଣ୍ଡା ବୋଲି ଥିଲେ । ତାହାର ଭାରିଯା ନାମ ଶୁଶିଳା । ଚକରିଆ ପଣ୍ଡାଙ୍କର ଦୁହିତା ଯୋଡ଼ିଏ । ଗୋଟିକର ନାମ ଭାଗ୍ୟବନ୍ତି ଓ ଅନ୍ୟଟିର ନାମ ପୁଣ୍ୟବନ୍ତି , ଅତି ଦରିଦ୍ର । ଗୋଟିଏ ଗାଁ ଗଲେ ମାଣେ ମିଳେ ଦଶ ଗାଁ ଗଲେ ମାଣେ ମିଳେ । ଖାଇବାକୁ ପେଜ ନାହିଁ ପିନ୍ଧିବାକୁ କନା ନାହିଁ । ଦୁହିତା ଯୋଡ଼ିକ ଛିଣ୍ଡା କନା ଗଣ୍ଡି ପକାଇ ପିନ୍ଧୁଥାନ୍ତି । ଅତି କଷ୍ଟରେ ଦିନ ବଞ୍ଚନ୍ତି । ବନରୁ ଘଷି ଗୋଟାଇବାକୁ ଯାଉଥାନ୍ତି । ଅତି କଷ୍ଟରେ ଓ ଦୁଃଖରେ ଦିନ କାଟୁଥାନ୍ତି । ଏକ ଦିନକରେ ଘଷି ଗୋଟାଇବାକୁ ଦୁହେଁ ବନସ୍ତକୁ ଯାଇଥିଲେ । ଘଷି ଗୋଟାଇଆଣି କୁଣ୍ଡିରେ ପୁରାଇଲେ । ସେଦିନ କାର୍ତ୍ତିକ ପୂର୍ଣ୍ଣିମା ତିଥୁ ସୋମବାର ହୋଇଥିଲା । ସ୍ଵର୍ଗର ଦେବକନ୍ୟାମାନେ ମଞ୍ଚକୁ ଆସିଥିଲେ । ଗୋଟିଏ ମଣ୍ଡପ ଦେଖିଲେ । ସେହି ମଣ୍ଡପ ଉପରେ ଦେବକନ୍ୟାମାନେ ରହୁଥିଲେ । ନଦୀକି ସ୍ନାନ କରି ଗଲେ , ସ୍ନାନ ସାରି ପାଟ ପତନୀ ପିନ୍ଧିଲେ । ସେହିଠାରେ ରୁଦ୍ରମଣ୍ଡଳ କାଟିଲେ , ଈଶ୍ଵର ପାର୍ବତୀ ସ୍ଥାପିଲେ । ନନ୍ଦୀ ଭୂକୁଟୀ ସ୍ଥାପିଲେ । କେଦାରନାଥଙ୍କୁ ସ୍ମରଣ କଲେ । ବନସ୍ତରୁ ଏକୋଇଶି ବର୍ଣ୍ଣର ଫୁଲ ଆଉ ଏକୋଇଶି ଗୁଆ ଆଣିଲେ । ଏକୋଇଶିଟି ପାନ ଆଣିଲେ । ଏକୋଇଶି ବରଫଳ ଆଣିଲେ । ଏକୋଇଶି ଖଣ୍ଡ ବର ଓହଳ ଆଣିଲେ । ଏକୋଇଶି ଅଁଳାକୋଳି ଆଣିଲେ । ଏକୋଇଶି ଦୁବ ଆଣିଲେ । ବର ଓହଳକୁ ଏକୋଇଶି ଗଣ୍ଠି ପକାଇ ବ୍ରତ କଲେ । କଦଳୀ , ନଡ଼ିଆ , ଆଖୁ ପୂଜା କଲେ । କେଦାରନାଥଙ୍କୁ ସ୍ମରଣ କରି ଧୂପ ଦୀପ ଦେଲେ । ନଇବେଦ୍ୟ କଲେ , ହୁଳହୁଳି ଦେଲେ । ଏମନ୍ତ ସମୟ ଚକରିଆ ପଣ୍ଡାଙ୍କର ଦୁଇଝିଆ । ଦେବକନ୍ୟାଙ୍କୁ ଦେଖିବାକୁ ଗଲେ । ଦେବକନ୍ୟାମାନେ ପୂଜା ସାରି ଦୁବ ତଣ୍ଡୁଳ ମଥାରେ ଘେନିଲେ । ବ୍ରତ ବାହୁରେ ବାନ୍ଧିଲେ । କେଦାରନାଥ ଗୋସାଇଁଙ୍କୁ ସାଷ୍ଟାଙ୍ଗ ହୋଇ ଦଣ୍ଡବତ କଲେ , ପୂଜା ପ୍ରସାଦ ଆନନ୍ଦରେ ପାଇଲେ । ହାତ ଧୋଇବାକୁ ବାହାରକୁ ଅଇଲେ । ଚକରିଆ ପଣ୍ଡାର ଦୁଇ ଝିଅ ସେଠାରେ ଠିଆ ହୋଇଛନ୍ତି , ତାଙ୍କୁ ଦେଖି ଦେବକନ୍ୟାମାନେ ପଚାରିଲେ , ତୁମ୍ଭେ କିଏ ସେ କହ । ରାକ୍ଷସୀ କି ପିଶାଚୀ , ଭୂତ କି ଡାହାଣୀ କହ । ନୋହିଲେ ଶାପ ଦେବୁ ତୁମ୍ଭେ ଜଳିଯିବ । ତାହାଶୁଣି ଚକରିଆ ପଣ୍ଡାର ଦୁଇ ଝିଅ ଘଷି ଟୋକେଇ ଥାଇ ଗୋଡତଳେ ପଡ଼ି କହିଲେ , ଆମେ ଡ଼ାହାଣୀ , ରାକ୍ଷସୀ , ଭୂତ କିମ୍ବା ପିଶାଚୀ ନୋହୁ । ଚକରିଆ ପଣ୍ଡାର ଦୁଇ ଝିଅ । ଆମେ ଘଷି ପାଇଁ ଆସିଥିଲୁ । ପଦ୍ମ ସରୋବର ଦେଖି ରହିଲୁ । ଆମ ଘରେ ଖାଇବାକୁ ପେଜ ନାହିଁ , ପିନ୍ଧିବାକୁ କନା ନାହିଁ । ତାହା ଶୁଣି ଅପସରୀଏ ବୋଇଲେ ତୁମେ କେଦାରବ୍ରତ କରନାହିଁ କି ? ଏହାକହି ସେହି ଦୁଇ ଭଉଣୀଙ୍କୁ ଦୁଇଖଣ୍ଡ ବ୍ରତ ଦେଇ କହିଲେ , ତୁମେଦୁଇ ଭଉଣୀ କେଦାର ବ୍ରତ କର । ଏହା କହି ଦେବକନ୍ୟା ମାନେ ସ୍ୱର୍ଗକୁ ଚାଲିଗଲେ । ଚକରିଆ ପଣ୍ଡାର ଦୁଇ ଝିଅ ସ୍ନାନକରି ଗଲେ । ପିନ୍ଧିଥିବା କନା ଦିଖଣ୍ଡି ହୁଡ଼ାରେ ରଖିଲେ । ସ୍ନାନକରି ଆସି ଦେଖିଲେ ସେ କନା ଦିଖଣ୍ଡ ପାଟପତନୀ ହୋଇଛି । ସେହି ପାଟ ପିନ୍ଧିଲେ । ବରଫଳ ଗୁଆ କଲେ । ବର ଓହଳ ବ୍ରତ କଲେ , ବରପତ୍ର ପାନକଲେ । ବରଛାଲି ହଳଦୀ କଲେ , ଏକୋଇଶି ନାଡ଼ ଦୁବ କଲେ । ଏକୋଇଶ ବର୍ଣ୍ଣର ଫୁଲ ଆଣି ବନସ୍ତରୁ - ନାରୀକେଳ , କଦଳୀ , ଆଖୁ ଆଣିଲେ । ଶ୍ରୀକେଦାରନାଥଙ୍କୁ ସ୍ମରଣ କରି ଓଷା ପୂଜିଲେ । ଅର୍ଘ୍ୟ ଦେଲେ ହୁଳହୁଳି ଦେଲେ । ଫୁଲ ଦୁବ ଘେନି , ବ୍ରତ ଲଗାଇଲେ । ପ୍ରସାଦ ଖାଇଲେ , ଘଷିକୁଣ୍ଠି ଧରି ଘରକୁ ଗଲେ । କେଦାରନାଥଙ୍କ ଆଜ୍ଞାରୁ ସେ ଘର କେଣେ ଗଲା । ଜଗତି ଅଟ୍ଟାଳି ହୋଇଛି , ମେଢ଼ ମଣ୍ଡପ ହୋଇଛି । ଦୁଆରେ ହାତୀ ଘୋଡ଼ା ବନ୍ଧା ହୋଇଛି ଓ ପ୍ରହରୀମାନେ ଜଗିଛନ୍ତି । ଦୁଇଭଉଣୀ ଦେଖି ତାଟକା ହେଲେ । ମା ’ ଜଗତୀରେ ଥାଇ ଦେଖୁଥିଲେ । ଦୁଇଝିଅକୁ ପାଛୋଟି ନେଲା । ଘଷି ଉବୁରିବା ବେଳକୁ ଘଷିଯାକ ସୁବର୍ଷ ହୋଇଛି । କେଦାରନାଥଙ୍କ କୃପାରୁ ନିଶ୍ଚିନ୍ତରେ ଘରଦ୍ଵାର କଲେ । ସେହି ଗ୍ରାମ ରାଜା ଚକରିଆ ପଣ୍ଡାର ବଡ଼ ଝିଅକୁ ଓ ସାନ ଝିଅ ମନ୍ତ୍ରୀକି ବିବାହ ହେଲେ । ଶ୍ରୀକେଦାରନାଥଙ୍କ କୃପାରୁ ଦୁଇ ଭଉଣୀ ଉତ୍ତମ ସୁଖ ପାଇଲେ । ଦିନେ ରାଜା ମହାଦେଈ ହାତରେ ସୂତା ବ୍ରତ ଦେଖି ସେ ସୂତା ବ୍ରତକୁ କଲରା ଗଛ ମୂଳରେ ଫିଙ୍ଗି ଦେଲେ । ସୁନାର ବ୍ରତ ଆଣି ଲଗାଇଲେ । ମନରେ ବେଶୀ ଗର୍ବ କରିବାରୁ ଗର୍ବଗଞ୍ଜନ ଶ୍ରୀକେଦାରନାଥ ଗୋସାଇଁ ଜାଣିଲେ । ଏହାଙ୍କ ଗର୍ବକୁ ଖର୍ବ କରିବି । ତାଙ୍କରି ଯେତେ ଦ୍ରବ୍ୟ ଥିଲା ସେ ଦ୍ରବ୍ୟସବୁ କେଦାରନାଥ ହରଣ କଲେ । ଦିନକୁ ଦିନ ଚକରିଆ ପଣ୍ଡାର ଝିଅ ଅନେକ ଦୁଃଖ ପାଇଲା । ରାଜା ମହାଦେଈ ଭିକ୍ଷା ମାଗିଲେ । ଯେଉଁ ବ୍ରତକୁ ଛିଣ୍ଡାଇ କଲରା ଗଛ ମୂଳରେ ଫିଙ୍ଗି ଦେଇଥିଲେ , ସେ ଗଛ ମୂଳରେ ବ୍ରତ ପଡିଥିବାରୁ ସୁବର୍ଣ୍ଣ କଲରା ଫଳିଲା । ସେହି କଲରାକୁ ଚକରିଆ ପଣ୍ଡାର ଝିଅ ନେଇ ବଣିକ ଘରେ ବିକ୍ରୀ କରି ପେଟ ପୋଷୁଥାନ୍ତି । ଏହିପରି ନାନା ଦୁଃଖ ପାଇଲେ । ରାଜ୍ୟ ଭ୍ରଷ୍ଟ ହେଲା , ହତଲକ୍ଷ୍ମୀ ହେଲେ । କେତେଦିନ ଗଲା ଉତ୍ତାରୁ ରାଜାଙ୍କର ଭାରିଯା ଭାଗ୍ୟବନ୍ତୀ ଚକରିଆ ପଣ୍ଡା। ଘରକୁ ଗଲେ । ଭାଗ୍ୟବନ୍ତୀକୁ ମାତା ଶୁଶିଳା ପଚାରିଲେ , ତୁମ୍ଭେ କି ହେତୁ ହତଲକ୍ଷ୍ମୀ ହୋଇଛ ।ଏହାଶୁଣି ଭାଗ୍ୟବନ୍ତି କହିଲେ, ରାଜା ସୁତାର ବ୍ରତ କାଢି ସୁନାର ବ୍ରତ ଲଗାଇଲେ । ସେ ବ୍ରତ କଲରା ଗଛ ମୂଳରେ ପକାଇ ଦେଲେ । ସେହିଦିନ ଠାରୁ ହତଳକ୍ଷ୍ମୀ ହେଲା | ସୁଶୀଲ ଏହାଶୁଣି କହିଲେ ଚାଲ କେଉଁଠାରେ ବ୍ରତ ଫିଙ୍ଗିଛି ତାହା ଆଣିବା | ସେ କଲରା ଗଛ ମୂଳରୁ ବ୍ରତ ଆଣି ବାହୁରେ ବାନ୍ଧିଲେ , ଓଷା ପୂଜି ଦୁବ ପ୍ରସାଦ ଘେନିଲେ । ସେହି ବ୍ରତ କରିବାରୁ । । ପୂର୍ବ ଶୁଭ ହେଲା । ରାଜା ରାଣୀ ସୁଖରେ ରହିଲେ । ଏପରି କେତେ ଦିନ ଉତ୍ତାରୁ କାର୍ତିକ ପୂର୍ଣ୍ଣିମା ପଡିଲା । ସେହିଦିନ କେଦାର ବ୍ରତ ପୂଜିବା ପାଇଁ ଭାଗ୍ୟବତୀ ସକାଳୁ ସ୍ନାନ କଲା । ଶ୍ରୀ କେଦାରନାଥଙ୍କୁ ସୁମରଣା କଲା । ଏକୋଇଶି ବର୍ଣ୍ଣର ଫୁଲ କଲା , ଏକୋଇଶି ଦୁବ କଲା , ଏକୋଇଶି ଖଣ୍ଡ ଅପାମାରଙ୍ଗ ଦାନ୍ତକାଠି କଲା , ଏକୋଇଶି ଗୁଆ କଲା , ଏକୋଇଶି ପାନ କଲା , ଏକୋଇଶି ବରଫଳ କଲା , ଏକୋଇଶି ଖଣ୍ଡ ବର ଓହଳ କଲା । ଅଁଳାକୋଳି ଏକୋଇଶି କଲା । ଏକୋଇଶି ଫଡ଼ା ହଳଦୀ କଲା । ଖଜା ଓ ବରାପିଠା ଏକୋଇଶି କଲା । କଦଳୀ , ନଡ଼ିଆ ଆଖୁ ବାଢ଼ିଲା । ଏକୋଇଶି ଖିଅରେ ବ୍ରତ କରି ସେହି ବ୍ରତରେ ଏକୋଇଶି ଗଣ୍ଠି ପକାଇଲା । ଗୃହ ଲିପାପୋଛା କରି ସର୍ବତ୍ର ରୁଦ୍ରମଣ୍ଡଳ କାଟିଲା । ଈଶ୍ଵର , ପାର୍ବତୀ , ନନ୍ଦୀ , ଭୂକୁଟିଙ୍କୁ ସ୍ଥାପିଲା । କେଦାରନାଥଙ୍କୁ ସ୍ମରଣ କଲା । କଥା ଶୁଣିସାରି ଓଷା ପୁଜିଲେ । ଦୂବ ପ୍ରସାଦ ଘେନିଲେ । ଏପରି ଓଷା ପୂଜା ଭାଗ୍ୟବନ୍ତୀ କରିବାରୁ କେଦାରନାଥ ପ୍ରସନ୍ନ ହେଲେ । ରାଜା ରାଣୀ ଅତି ଆନନ୍ଦ ହୋଇ ସୁଖରେ ରହିଲେ । ରାଜ୍ୟ ପାଇଲେ । ସାତ ପୁତ୍ର ତିନି ଦୁହିତା ହେଲେ କେଦାରନାଥଙ୍କ କୃପାରୁ ସୁଖରେ ରହିଲେ । ସର୍ବ ସମ୍ପଦ ମିଳିଲା । ତୁମେ ଏବେ କେଦାର ବ୍ରତ କର ସାମ୍ରାଜ୍ୟ ପାଇବ | ନୈମିଷ ରଷିଙ୍କ ଠାରୁ ବ୍ରତକଥା ଶୁଣି କୁନ୍ତୀ ଶ୍ରୀ କେଦାର ବ୍ରତ କଲେ । କେଦାରନାଥଙ୍କ କୃପାରୁ ପଞ୍ଚୁପାଣ୍ଡବ ସାମ୍ରାଜ୍ୟ ପାଇଲେ । ଅତି ସୁଖରେ ରହିଲେ । ଏ ବ୍ରତ ଯେଉଁ ସ୍ତ୍ରୀମାନେ କରନ୍ତି ପୁତ୍ରବତୀ ଧନବତୀ ହୁଅନ୍ତି । ଅନ୍ତେ ବୈକୁଣ୍ଠ ଯାଆନ୍ତି ।
ଶ୍ରୀ କେଦାରନାଥ ବ୍ରତ କଥା ସଦାଜୟ ସମ୍ପୂର୍ଣ୍ଣ ।
କେଦାର ବ୍ରତ କଥା ପଠନ କରି କେଦାରଗୌରୀ ଙ୍କ ଆଶୀର୍ବାଦ ଲାଭ କରନ୍ତୁ ଏବଂ ଯେକୌଣସି ଦେବାଦେବି ଙ୍କ ବ୍ରତକଥା, ସ୍ତୁତି, ଚାଳିଶା ଆଦି ପଠନ ନିମନ୍ତେ ଆମ ବ୍ଲଗ oomii05.com କୁ visit କରନ୍ତୁ, ଧନ୍ୟବାଦ |
0 Comments:
Post a Comment